କୃଷ୍ଣର ଗମନ ଦେଖି ଛନଛନ ହୋଇ ସକଳ ଗୋପାଙ୍ଗନା ।
ଗୁରୁ ଗଉରବ ବାରି ନ ପାରନ୍ତି ଆରତେ ସପରୀନୟନା ।
ଡାକନ୍ତି । ଆହେ ବାରିଧରବରନା ।
ବିନା ଦୋଷେ ରୋଷେ ନାଶ କରିଯାଅ, ନୋହୁ ଗୋପୀକୁଳ-ପୁତନା ।୧।
ଦଶରଥ ସୁତ ପ୍ରାଏ ନନ୍ଦସୁତ କରୁଛ ତ ଜାଣି ବିଚାର ।
ସେ ଛାଡ଼ିଥିଲେ ସିନା ଏକ ନାୟିକା, ତୁମ୍ଭେ ତ ଛାଡ଼ୁଛ ଅପାର ।
କୃଷ୍ଣ ହେ । ସେ ବଧିଲେ ଏକ ବାଳୀ କି ।
ତୁମ୍ଭେ ଯେତେ ବାଳୀ ମାରି ଯାଉଅଛ ମନେ ହେଜି ପାରୁ ନାହଁ କି ?।୨।
ତୁମ୍ଭେ କୃଷ୍ଣଚନ୍ଦ୍ର ସେ ଶ୍ରୀରାମଚନ୍ଦ୍ର ଏଣୁ ମିତ୍ରଗୁଣ କହୁଛ ।
ସେ ତାତ ମାତ ଛାଡ଼ି ବନେ ପଶିଲେ, ତୁମ୍ଭେ ଏବେ ତେଜି ଯାଉଛ ।
କୃଷ୍ଣ ହେ । ସେ ନେଇଥିଲେ ସହୋଦର ।
ତୁମ୍ଭେ ସେହିରୂପେ ଭ୍ରାତଙ୍କୁ ନେଉଛ ଦୁହେଁ ଦେହ ଏକ ପ୍ରକାର ।୩।
ତାଙ୍କୁ ସୁମନ୍ତ ରହୁବରେ ବସାଇ ଘେନିଗଲା ଘୋର ବନକୁ ।
ତୁମ୍ଭଙ୍କୁ ଅକ୍ରୂର ସେହି ପରକାରେ ନେଉଅଛି ମଧୁବନକୁ ।
କୃଷ୍ଣ ହେ । ସେ ସଙ୍ଗେ ନେଇଥିଲେ ନାରୀ ।
ଏହି ଗୁଣେ ତୁମ୍ଭେ ଉଣା ପଡ଼ୁଅଛ , ଆଉ ସକଳ ଗୁଣେ ସରି ।୪।