ଦେଖି ନବକାଳିକା ବକାଳିକା ମାଳିକା
ଆଳି କାଳିକା କାନ୍ତ ସ୍ମରି ।
ରକ୍ଷା କେମନ୍ତେ କରି କରିବା ମତ୍ତକରୀ
ଗତିକି ଏମନ୍ତ ବିଚାରି
ସେ ସହଚରି ।
ଭାବେ ବଞ୍ଚିଲେ ଏ କାଳକୁ, କଥା ଥିବ କାଳ କାଳକୁ
ଏତେକ କ୍ଷୀଣ ଦିନ ହେଲା ଦୁର୍ଦ୍ଦିନ ଦିନ
ନ ଲଭୁ ବଲ୍ଲଭମେଳକୁ ରେ ॥୧॥
ହିତ ଆନମାନଙ୍କୁ ସତ କାମିଜନଙ୍କୁ
ଅହି ପରା ଅହିତ ଏହି ।
ହତ କୃଶାନୁ ସାନୁ- ମାନରୁ ଭାନୁ ଭାନୁ
ତାପରୁ ନିସ୍ତରିଲା ମହୀ
ରେ ସହଚରି ।
ବିରହନଳ ହୃଦସ୍ଥଳେ, ଜଳେ ସେ ହତ ନୋହେ ଜଳେ
କରୁଛି ଜାତ ଜାତ ବେଦକୁ ସତ ସତ
ହୃଦା-ଛଳରେ ଘନ କୋଳେ ରେ ସହଚରି॥୨॥
କେଉଁ ସୁନ୍ଦରୀ ଦରୀ- ଭୂତରୁ ଗଣ୍ଡ ଧରି
ଧରିତ୍ରୀ ଶୟନ କରିଛି ।
କଣ୍ଠେ ଜୀବନ ବନ ପୂର୍ଣ୍ଣ ନୟନ ଘନ
ଘନ ନିଶ୍ଵାସକୁ ଛାଡ଼ୁଛି
ରେ ସହଚରି ।
ପକାଇ ଆପଣା ଅଙ୍କର, ଲୋଡ଼ିଲେ ନ ଲଗାଇ କର
ଯେ ହୁଏ ଏଡ଼େ ଦୁର୍ବଳ ଝଞ୍ଜାନିଳ ପ୍ରବଳ
ଉଡ଼ିଯାଇଟି ଯତ୍ନ କର ରେ ସହଚରି॥୩॥