ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ, ହରେ ସୁରବର ତାପ ଚାରୁ ଧାରା ସେ।
ବହେ ମକର କେତନ ଉଚ୍ଛନ୍ନ ରତି ସମାନ, ପୂରିତ ହୋଇଛି ପୁଣି ଅଶେଷ ରସେ।
ବିଦ୍ୟ ହୈମବତୀ ପଦରେ,
ବିଷକଣ୍ଠ ତୋଷ ଦାନୀ ବେନି ମତରେ।୧।
ବିଷ୍ଣୁପଦୀ ବିଷ୍ଣୁପଦ ଈ କାର ଭେଦ ଶବଦ, ତରଣି(ଣୀ)ରେ ଗତାଗତ ତହିଁ ଉଚିତ।
ବିଶାରଦ ସେ ସାମନ୍ତ ମତରେ ଦାସ ସେବିତ, ଡାକୁ ନ ଶୁଣନ୍ତେ ରଘୁନାଥ କଥିତ।
ବିଷଧର ପ୍ରାୟେକ ତୁହି,
ବେଳେ ନେତ୍ର ଢାଳି ଶୁଣ ଉଦାର ନୋହି।୨।
ବଧୀର ନୁହଇ ବୀର ବୋଇଲା ତହୁଁ ଧୀବର, ଶୁଣିଲିଣି ପଥରେ ପଥର ଅବଳା।
ବାଲି ପଡ଼ି ତୋ ଚରଣୁ ଆଶଙ୍କା ଉପୁଜେ ଏଣୁ, ନଉକା ନାୟିକା ହେଲେ ବୁଡ଼ିବ ଭେଳା।
ବୃତ୍ତିଏ ମୋ ପୋଷେ କୁଟୁମ୍ବ,
ବସାଇ ନ ଦେବି ପାଦ ନ ଧୋଇ ନାବ।୩।
ବଢ଼ାଇ ଦେଲେ ପୟର, ଭାବଗ୍ରାହୀ ରଘୁବୀର, ପୟରେ କ୍ଷାଳିତ କରି ବସନେ ପୋଛି।
ବ୍ରହ୍ମାରେ ଧୌତ ଯେ ପଦ ନୋହିଛି ଶିବ ବିଷାଦ ନ ପାଇ ଚରଣାମୃତ ପାନକୁ ଇଛି।
ବିଜ୍ଞାନୀ କୈବର୍ତ୍ତ ଧୋଇଲା,
ବିଶ୍ବେ ପତିତପାବନ ନାମ ରହିଲା।୪।
ବିଞ୍ଚି ପଲ୍ଲବ ନାବରେ ପଦ ବିକଳ୍ପ ମନରେ ପ୍ରତିହାରି କରିରେ ମଣାଇ ବସାଇ।
ବିଶ୍ବାମିତ୍ରଙ୍କୁ ଶ୍ରୀରାମ ପଚାରିଲେ ଗଙ୍ଗାନାମ ଭାଗିରଥୀ କିମ୍ପା ହେଲା କହ ଗୋସାଇଁ।
ବିଷ୍ଣୁ ନଖ କୋଣେ ଏ ଥିଲା,
ବାମନାବତାରେ ଭାଗିରଥି ଆଣିଲା।୫।