ଆରେ ବାବୁ ଶ୍ୟାମଘନ, ତୁ ଗଲେ ମଧୁଭୁବନ
କାହା ମୁଖ ଅନାଇଁ ବଞ୍ଚିବି
ହେବ ଦଶ ଦିଗ ଶୂନ୍ୟ, ଅସ୍ଥିର ହେବ ଜୀବନ
ନିଶି ଦିବସରେ ଝୁରୁଥିବି ରେ, ଜୀବ ଧନ
ଜୀବନ ବିହୀନେ ଯେହ୍ନେ ଝଷ
ରାଜା ବିନେ ଯେହ୍ନେ ଗ୍ରାମ ଦେଶ ରେ, ଜୀବ ଧନ
ଜୀବନ ବିହୀନେ ଯେହ୍ନେ ଝଷ
କାହା ଅଙ୍ଗେ ଚତୁସମ ଲେପିବି କରି ସୁଷମ
ନିଦ୍ରାରେ କେ ହେଉଥିବ ଘାରି
କାହାକୁ ଅଞ୍ଜନ ଦେବି , ବସ୍ତ୍ର ପାତି ଶୁଆଇବି
ପିତାଙ୍କୁ ମାଗିବ କେହୁ ହରି ରେ, ଜୀବ ଧନ
ଏକଥା ସୁମରି, ଯିବି ମରି
ନିଶ୍ଚେ ଯେବେ ଯିବୁ ମଧୁପୁରୀ ରେ, ଜୀବ ଧନ
ଏକଥା ସୁମରି, ଯିବି ମରି
ବାନ୍ଧିବି କାହାର କେଶ, କୁସୁମେ କରି ସୁବେଶ
କାହା ଲଲାଟରେ ଦେବି ଚିନ୍ତା
କାହାର କର୍ଣ୍ଣରେ କୁଣ୍ଡଳ, ଖଞ୍ଜିବି ରେ ମୋର ବାଳ
କାହାପାଇଁ କରୁଥିବି ଚିନ୍ତା ରେ, ଜୀବ ଧନ
କାହା ଅଙ୍ଗୁ ଧୂଳି ଦେବି ପୋଛି
ଝିନ ବାସ ପିନ୍ଧାଇବି ବାଛି ରେ,ଜୀବ ଧନ
କାହା ଅଙ୍ଗୁ ଧୂଳି ଦେବି ପୋଛି
ଯେତେବେଳେ ବନେ ଯାଉ, ସଙ୍ଗେ ମୋର ପ୍ରାଣ ନେଉ
ନିମିଷେ ବିଚ୍ଛେଦ ନ ସହଇ
ଏବେ ଯିବୁ ମଥୁରାକୁ, ମୋତେ ସମର୍ପି କାହାକୁ
ଚନ୍ଦ୍ରମୁଖ ନ ଦେଖିଲେ ମୁହିଁ ରେ, ଜୀବ ଧନ
ଜୀବନ ହାରିବି ଗଣ୍ଡଜଳେ
ତୁ ମୋତେ ଅନ୍ତର ହେଲେ ତିଳେ ରେ, ଜୀବ ଧନ
ଜୀବନ ହାରିବି ଗଣ୍ଡଜଳେ
ସରଲବଣି ଅଧା ମୋ ପକ୍ଵରମ୍ଭା ସୁଧା ସମ
ମୁଖେ ଦେଲେ ଥୁ ଥୁ କରି ଫିଙ୍ଗୁ
ଯେତେ ରୂପେ ଲାଳିଆଇ ପରଷଇ ବଳିଆଇ
କୋପେ ଉଠି ପାଘ ଭାଣ୍ଡ ଭାଙ୍ଗୁ ରେ,ଜୀବ ଧନ
ଏବେ ଦୂର ହୋଇବ ସେ କଥା
କିନ କରେ ଦାରୁଣ ବିଧାତା ରେ,ଜୀବ ଧନ
ଏବେ ଦୂର ହୋଇବ ସେ କଥା