ବୃନ୍ଦାବନେ ବଂଶୀ କେ ବଜାଇଲା,
ଏକା ରାଧା ରାଧା ନାମ ରାଇଲା,
ବୃନ୍ଦାବନେ ବଂଶୀ କେ ବଜାଇଲା ।
ଛିଡିଲା ସେ ଛିଦ୍ର ଗଣ୍ଠି
ନିବିବନ୍ଧ ଗଲା ଫିଟି,
ବସନ ପିନ୍ଧନ୍ତେ ତର ନୋହିଲା ।
ପାଷାଣ ହୋଇଲା ପାଣି,
ଯମୁନା ବହେ ଉଜାଣି,
ଝରଝର ମକରନ୍ଦ ବୋଳିଲା ।
ଶୁଷ୍କ ତରୁୃମାନେ ଥିଲେ,
ଧ୍ୱନି ଶୁଣି ପଲ୍ଲବିଲେ,
ପବନ ଥକିତ ଚିତ୍ତ ମୋହିଲା ।
ମୁନିଙ୍କ ଆଶ୍ରମ ଟଳି,
ରସରେ ପଡ଼ିଲେ ଢଳି,
ବ୍ୟାଘ୍ର ପଛେ କୁରଙ୍ଗୀ ଗୋଡ଼ାଇଲା ।
କହେ ସାଲବେଗ ହୀନ,
ଏହି ମୋର ନିବେଦନ,
ରାଧାକୃଷ୍ଣ ପାଦେ ଚିତ୍ତ ରହିଲା ।